ଇତିହାସକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଓଡ଼ିଶାର ନାମ ଭିନ୍ନ ଭିନ୍ନ ସମୟରେ କଳିଙ୍ଗ, ଉତ୍କଳ ଏବଂ ଓଡ୍ର ଭାବରେ ଜଣାଶୁଣା ଥିଲା ଏବଂ ଦକ୍ଷିଣ ପୂର୍ବ ଓ ପଶ୍ଚିମ ଏସୀୟ ରାଷ୍ଟ୍ର ସହ ପୂର୍ବ ଆଫ୍ରିକା ଦେଶ ମାନଙ୍କ ସହିତ ଏହାର ବାଣିଜ୍ୟିକ ସମ୍ପର୍କ ରହିଥିଲା । ଓଡ଼ିଶାର ଦୁଃସାହସିକ ନାବିକ/ବଣିକମାନେ ବିଭିନ୍ନ ଦୂର ଦେଶକୁ ଯାତ୍ରା କରି ବାଣିଜ୍ୟିକ ଆଦାନ ପ୍ରଦାନ ସହ କଳିଙ୍ଗର ଭୌତିକ ସମୃଦ୍ଧିରେ ଯୋଗଦାନ ଦେଇ ବିଦେଶୀ ମାଟିରେ ଏହାର ପରମ୍ପରା ଏବଂ ସଂସ୍କୃତିର ପ୍ରସାରରେ ମଧ୍ୟ ଯୋଗଦାନ କରିଥିଲେ । ଯଦ୍ୱାରା ପାରସ୍ପରିକ ସମ୍ପର୍କର ବିକାଶ ହେବା ସହ ଓଡ଼ିଆ ବଣିକ ମାନଙ୍କ ଦ୍ଵାରା ଧର୍ମୀୟ ସଂସ୍ଥାନ ଏବଂ ରାଜନୈତିକ ପୃଷ୍ଠ ପୋଷକତା ଦ୍ୱାରା ବିଦେଶରେ ବସତି ସ୍ଥାପନ ହୋଇଥିବା ଦେଶଗୁଡ଼ିକରେ ଓଡ଼ିଆ ସଂସ୍କୃତି, ରୀତି-ନୀତି, ବିଶ୍ୱାସ, ପରମ୍ପରା, କଳା ସଂସ୍କୃତି ଏବଂ ଆଚାର-ବ୍ୟବହାର ଲୋକପ୍ରିୟ ହୋଇଥିଲା । ପ୍ରାଚୀନ ସମୟରେ ରୋମାନ ସାମ୍ରାଜ୍ୟ, ଆଫ୍ରିକା, ପଶ୍ଚିମରେ ପାରସ୍ୟ ଉପସାଗର, ଚୀନ୍, ଥାଇଲାଣ୍ଡ, କମ୍ବୋଡିଆ, ଭିଏତନାମ, ମ୍ୟାମାର, ଶ୍ରୀଲଙ୍କା ଇତ୍ୟାଦି ଦେଶ ଏବଂ ଦକ୍ଷିଣ ପୂର୍ବରେ ଜାଭା, ସୁମାତ୍ରା, ବାଲି ଏବଂ ବୋର୍ଣ୍ଣିଓ (ଇଣ୍ଡୋନେସିଆ) ସହିତ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ଗଢି ଉଠିଥିଲା । ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସହିତ ସାମୁଦ୍ରିକ ନୌବାଣିଜ୍ୟ ସମ୍ପର୍କ କ୍ଷେତ୍ରରେ ଗବେଷଣା କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ୧୯୮୭ ମସିହାରେ "ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ" ପରିକଳ୍ପନା କରାଯାଇ ଥିଲା । ଏହି ପ୍ରତିଷ୍ଠାନ ଗତ ଚାରି ଦଶନ୍ଧି ମଧ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାଚୀନ ଐତିହାସିକ ସ୍ଥାନରେ ଅନ୍ଵେଷଣ, ଅନୁସନ୍ଧାନ, ସର୍ବେକ୍ଷଣ ଏବଂ ଉତଖନନ କାର୍ଯ୍ୟ ହାତକୁ ନେଇ ଉପରୋକ୍ତ ଜ୍ଞାନର ପରିସୀମାକୁ ବୃଦ୍ଧି କରିଛି। ମାଣିକାପାଟଣା ଏବଂ ପାଲୁରର ପ୍ରାଚୀନ ବନ୍ଦର ଗୁଡ଼ିକର ଅନ୍ଵେଷଣ, ଅନୁସନ୍ଧାନ, ସର୍ବେକ୍ଷଣ କରାଯାଇ ଅନେକ ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଲୋକଲୋଚନାକୁ ଆଣିପାରିଅଛି, ଯାହା ଅତୀତରେ ଆମ ସୁଦୂର ପ୍ରସାରୀ ସାମୁଦ୍ରିକ କାର୍ଯ୍ୟ କଳାପର ପ୍ରମାଣ ବହନ କରିଥିଲା । ସେହିପରି, ଲାଙ୍ଗୁଡି, ରାଧାନଗର, ଦୁର୍ଗାଦେବୀ, କାୟାମା, ତାରାପୁର ଭଳି ପ୍ରାଚୀନ ଐତିହାସିକ ସ୍ଥାନଗୁଡ଼ିକର ମଧ୍ୟ ପ୍ରତ୍ନତାତ୍ତ୍ୱିକ ଉତଖନନ ସହିତ କରାଯାଇ ପ୍ରାଚୀନ ଓଡ଼ିଶାରେ ପ୍ରାଚୀନ ପ୍ରାକାର ବେଷ୍ଟିତ ବିକାଶ ଶୀଳ ସହର, ନଗର, ଗ୍ରାମୀଣ ଏବଂ ସହରାଞ୍ଚଳ ସଭ୍ୟତାର ବହୁ ଐତିହାସିକ ତଥ୍ୟ ସଂଗ୍ରହ କରାଯାଇ ଅଛି । ଏସବୁ ତଥ୍ୟ ବର୍ତ୍ତମାନ ବିଭିନ୍ନ ଗବେଷକ, ବିଦ୍ୱାନ, ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍, ସ୍ଥପତି, ପର୍ଯ୍ୟଟକ ଓ ଇତିହାସ ଗବେଷକ ମାନଙ୍କ ଦ୍ୱାରା ପ୍ରାଚୀନ ଓଡ଼ିଶାର ଇତିହାସ ଏବଂ ସଂସ୍କୃତିକୁ ଭଲ ଭାବରେ ବୁଝିବା ଓ ନୂତନ ତଥ୍ୟ ଅନୁସନ୍ଧାନ ନିମନ୍ତେ ବ୍ୟବହାର କରାଯାଉଅଛି ।
ଏହି ପ୍ରତିଷ୍ଠାନ ବର୍ତ୍ତମାନ ନୌବାଣିଜ୍ୟ ଐତିହ୍ୟ, ବୌଦ୍ଧ ଐତିହ୍ୟ, ଦକ୍ଷିଣ ପୂର୍ବ ଏସୀୟ ଦେଶ ବିଷୟରେ ଅଧ୍ୟୟନ ଏବଂ ଐତିହ୍ୟ ସଂରକ୍ଷଣ ପାଇଁ ଏକ ପ୍ରକୃଷ୍ଠ କେନ୍ଦ୍ର ଭାବରେ କାର୍ଯ୍ୟ କରୁଅଛି। ପ୍ରତ୍ନତତ୍ତ୍ୱବିତ୍, ଐତିହାସିକ, ଐତିହ୍ୟ ସଂରକ୍ଷକ ଏବଂ ଗବେଷକମାନେ ଏହି ପ୍ରତିଷ୍ଠାନର ସମ୍ବଳ ଗୁଡ଼ିକୁ ସେମାନଙ୍କର ଗଭୀର ଅଧ୍ୟୟନ ଏବଂ ଗବେଷଣା ପାଇଁ ବ୍ୟବହାର କରୁଛନ୍ତି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ, ଐତିହାସିକ ଏବଂ ସାଂସ୍କୃତିକ ଗବେଷଣା କାର୍ଯ୍ୟ ହାତକୁ ନେଇ ଏ ଦିଗରେ ସମ୍ୟକ ସଫଳତା ହାସଲ କରିଅଛି ।

