ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ଓଡିଶାର ପ୍ରାଚୀନ ନୌବାଣିଜ୍ୟିକ ଐତିହ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ଉପରେ ଅଧ୍ୟୟନ ନିମନ୍ତେ ବିଭିନ୍ନ ଗବେଷଣା ପ୍ରକଳ୍ପ ହାତକୁ ନେବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିଲା । ସମୟ କ୍ରମେ, ଏହି ପ୍ରତିଷ୍ଠାନ ଉକ୍ତ ଦିଗରେ ଯଥେଷ୍ଟ ସଫଳତା ହାସଲ କରିଅଛି, ଯେପରିକି ପ୍ରାଚୀନ ବୌଦ୍ଧ ସ୍ଥଳୀ ଲାଙ୍ଗୁଡିର ଆବିଷ୍କାର ଏବଂ ମାଣିକପାଟଣା ଖନନରୁ ନୌବାଣିଜ୍ୟ ସମ୍ପର୍କ ମାଧ୍ୟମରେ ଐତିହାସିକ ସମ୍ପର୍କକୁ ମଧ୍ୟ ଉନ୍ମୋଚନ କରିଅଛି । ବର୍ଷ ବର୍ଷ ଧରି ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କ ଉପରେ ଅଧ୍ୟୟନ କ୍ଷେତ୍ରରେ ଗବେଷଣା ପ୍ରକଳ୍ପ କରିବା ପାଇଁ ଏହି ପ୍ରତିଷ୍ଠାନ ନିଜସ୍ୱ ସମ୍ବଳ ପାଇଛି । ଦକ୍ଷିଣ ପୂର୍ବ ଏସିଆର ପ୍ରମୁଖ ସ୍ମାରକୀ ଗୁଡିକ ମୁଖ୍ୟତଃ ବୌଦ୍ଧ ଧର୍ମ ସମ୍ପର୍କୀତ । ତେଣୁ, ଏହି ପ୍ରତିଷ୍ଠାନ ୧୯୯୬ ମସିହାରୁ ଓଡିଶାର ବୌଦ୍ଧ ସ୍ମାରକୀ ଗୁଡିକର ଅନୁସନ୍ଧାନ ଏବଂ ଖନନ ଉପରେ ଧ୍ୟାନ ଦେଇଆସିଛି । ବର୍ତ୍ତମାନ ସୁଦ୍ଧା, ପ୍ରତିଷ୍ଠାନ ଦ୍ୱାରା ପ୍ରାୟ ୨୨୦ଟି ବୌଦ୍ଧ ସ୍ଥଳୀ ପଞ୍ଜୀକୃତ ହୋଇଛି ଏବଂ ୩୩ ଟି ବୌଦ୍ଧ ସ୍ଥାନର ସଂରକ୍ଷଣ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହୋଇଅଛି । ଏହି ସଂସ୍ଥା ଅନେକ ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜିର ଅବଶେଷ ଏବଂ ବନ୍ଦର ସ୍ଥଳୀକୁ ଶିଳାଲେଖ ଭିତ୍ତିକ ପ୍ରମାଣ ସହିତ ଲୋକଲୋଚନକୁ ଆଣିପାରିଅଛି । ବର୍ତ୍ତମାନ ଚାଲିଥିବା ପ୍ରତ୍ନତାତ୍ତ୍ୱିକ ଅନ୍ୱେଷଣ ଦ୍ୱାରା ପାଲୁର ପ୍ରାଚୀନ ବନ୍ଦରର ସଠିକ ସ୍ଥାନ ନିରୂପଣ ନିମନ୍ତେ ପ୍ରୟାସ ଜାରି ରହିଅଛି । ଏହି ପ୍ରତିଷ୍ଠାନ ଯାଜପୁର ଜିଲ୍ଲାର ଧର୍ମଶାଳା ଅନ୍ତର୍ଗତ ତରାପୁରଠାରେ ଏକ ଶାଖା ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଓଡିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଓଡିଶାର ନୌବାଣିଜ୍ୟ ଐତିହ୍ୟ ଉପରେ ଏକ ସ୍ୱତନ୍ତ୍ର ବିଥି (ଗ୍ୟାଲେରୀ) ସ୍ଥାପନ କରିଅଛି । ନୂତନ ଭାବରେ ଆବିଷ୍କ୍ୃତ ବୌଦ୍ଧସ୍ଥଳୀ ଗୁଡିକ ଏବଂ ପ୍ରାଚୀନ ଐତିହାସିକ ଖନନ ସ୍ଥଳୀ ରାଧାନଗର ଓ ଦୁର୍ଗାଦେବୀ ଏବେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ସହ ଦକ୍ଷିଣ-ପୂର୍ବ ଏସିଆର ସଂସ୍କୃତି ଏବଂ ସଭ୍ୟତା ଉପରେ ନୂତନ ତଥ୍ୟ ପ୍ରଦାନ କରୁଅଛି । ଏହି ଦିଗରେ ଅଧିକରୁ ଅଧିକୋତ୍ତର ଅଧ୍ୟୟନ ନିମନ୍ତେ ପ୍ରତିଷ୍ଠାନ ଓଡିଶାର ସାଂସ୍କୃତିକ ଐତିହ୍ୟର ଐତିହାସିକ ଅନାଲୋଚିତ ବିଷୟ ବସ୍ତୁ ଗୁଡିକ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟର ସହିତ ଏକ ସଠିକ ଦିଗରେ ଅଗ୍ରସର ହେଉଅଛି । ପ୍ରାଚୀନ ଇତିହାସ ଏବଂ ବୌଦ୍ଧଧର୍ମର ପ୍ରତ୍ନତାତ୍ତ୍ୱିକ ବୈଭବ ସହିତ ଦକ୍ଷିଣ ପୂର୍ବ ଏସିଆ ସମ୍ବନ୍ଧୀୟ ଅଧ୍ୟୟନ ଏବଂ ନୌବାଣିଜ୍ୟ ଐତିହ୍ୟ ଉପରେ ଗବେଷକମାନଙ୍କ ପାଇଁ ପ୍ରତିଷ୍ଠାନ ଅଧୁନା ଏକ ସମ୍ବଳ କେନ୍ଦ୍ର ଭାବରେ କାର୍ଯ୍ୟ କରୁଅଛି ।